
ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ ।
ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ । ଶୀତ ବଢ଼ିବ । ପାଣିପାଗର ବିସ୍ତାରିତ ଆକଳନ କହୁଛି, ଆଗାମୀ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଫେରିପାରେ । ଜାନୁଆରୀରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ କମ୍ ରହିବା ସମ୍ଭାବନା ଅଛି ।
ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି । ଡିସେମ୍ବରର ୩୧ ଦିନ ମଧ୍ୟରେ ୨୬ଦିନ ଓଡ଼ିଶାରେ କୁହୁଡ଼ି ହୋଇଛି । ଏହା ଦେଶରେ ସର୍ବାଧିକ। ଗୁରୁବାର ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଏମିତି ଥିଲା ଯେ ଦିନ ୧୨ଟା ଯାଏଁ ସୂର୍ଯ୍ୟ ଦିଶିଲେନି । ସକାଳ ସାଢ଼େ ୮ଟାବେଳକୁ ୫୦ ମିଟର ଆଗକୁ କିଛି ଦିଶିଲା ନାହିଁ ଭୁବନେଶ୍ୱରରେ । କୁହୁଡ଼ିର ଘନ ଆସ୍ତରଣ ପାଇଁ ରାଜ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ଆସ୍ତରଣ ବଢ଼ୁଛି । ଧୂଳିକଣାର ପରସ୍ତ ଭାସି ବୁଲୁଛି ବାୟୁରେ । ସେହିପରି କୁହୁଡ଼ି ଯୋଗୁ ଖରା ପଡ଼ୁନଥିବାରୁ ଦିନ ତାପମାତ୍ରା ବି ବଢ଼ିପାରୁନି ।
ଗୁରୁବାର ସାଢ଼େ ୧୧ଟାବେଳେ ଭୁବନେଶ୍ୱର ତାପମାତ୍ରା ମାତ୍ର ୨୦ ଡିଗ୍ରୀ ସେଲସିୟସ୍ ଥିଲା । ଏହା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ । ବୁଧବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୭.୫, ଝାରସୁଗୁଡ଼ା ୭.୮, ଫୁଲବାଣୀ ୮, ଅନୁଗୁଳ ୮, କୋରାପୁଟ ୮.୬, ରାଉରକେଲା ୮.୬, ନବରଙ୍ଗପୁର ୯, ବୌଦ୍ଧ ୯.୬, କିରେଇ ୯.୩, ସୁନ୍ଦରଗଡ଼ ୯.୬, କେନ୍ଦୁଝର ୯, ଚିପିଲିମା ୧୦, ବଲାଙ୍ଗୀର ୧୦, ଜି.ଉଦୟଗିରି ୯.୨, ଢେଙ୍କାନାଳ ୧୦.୧ ଡିଗ୍ରୀ ସେଲସିୟସ୍ ଥିଲା । କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୪ ଡିଗ୍ରୀରୁ କମ୍ ଥିଲା । ଉପକୂଳ ଓଡ଼ିଶାର କଟକରେ ପାରଦ ୧୧.୮, ଭୁବନେଶ୍ୱରରେ ୧୨.୭ ଥିବାବେଳେ ବହୁ ସ୍ଥାନରେ ପାରଦ ୧୨ ଡିଗ୍ରୀ ଭିତରେ ଥିଲା ।
ଶୁକ୍ରବାର ସକାଳେ ଜଗତସିଂହପୁରରେ ଅତି ଘନ କୁହୁଡ଼ି ସମ୍ଭାବନା ଥିବାବେଳେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ଅଛି । ଏହାବାଦ୍ ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ରହିବ । ଏଭଳି କୁହୁଡ଼ି ପ୍ରଭାବ ୫ ତାରିଖ ଯାଏ ରହିପାରେ ।
