
ବାଲେଶ୍ଵର ଜିଲ୍ଲା ରାଇବଣିଆ ଅଞ୍ଚଳରେ ଆମ୍ବୁଲାନ୍ସ ସମସ୍ୟା। ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ୬ଟା ବେଳେ କଲ୍ କରିଥିଲେ, ୯ଟା ବେଳେ ପହଞ୍ଚିଲା ଆମ୍ବୁଲାନ୍ସ। ଦୀର୍ଘ ୩ ଘଣ୍ଟା ପ୍ରସବ ଯନ୍ତ୍ରଣା ସହି ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ ମହିଳା। ଜଳେଶ୍ଵର ବ୍ଲକ ସର୍ଦ୍ଦାରବନ୍ଧ ପଞ୍ଚାୟତର ପଳାଶବଣୀ ଗାଁରେ ଏଭଳି ଘଟଣା ଘଟିଛି। ବାରମ୍ବାର ଏଭଳି ଆମ୍ବୁଲାନ୍ସ ସମସ୍ୟା ଦେଖା ଦେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହେଉଛି।
ସୂଚନାନୁଯାୟୀ, ଜଳେଶ୍ଵର ବ୍ଲକ ସର୍ଦ୍ଦାରବନ୍ଧ ପଞ୍ଚାୟତର ପଳାଶବଣୀ ଗାଁର ନରେନ୍ଦ୍ର ସିଂଙ୍କ ପତ୍ନୀ ରେଖା ସିଂ ଗର୍ଭବତୀ ଥିଲେ। ଗୁରୁବାର ଭୋର୍ ୪ଟା ବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଘର ଲୋକେ ଗାଁର ଆଶା ଦିଦି ଗୀତାଞ୍ଜଳୀ ସାସମଲଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି କାମରେ ଭୁବନେଶ୍ଵର ଯାଇଥିବା ଜଣାପଡ଼ିଥିଲା। ଆଶା ଦିଦି ଏହା ଜାଣିବା ପରେ ସକାଳ ୬ଟା ବେଳେ ଆମ୍ଵୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ଵୁଲାନ୍ସ ଠିକ୍ ସମୟରେ ପହଞ୍ଚି ନଥିଲା। ସେପଟେ ନରେନ୍ଦ୍ରଙ୍କ ଗୋଡ଼ ଭାଙ୍ଗି ଥିବାରୁ ଓ ଶାଶୁ ରୋଗୀଣା ହୋଇଥିବାରୁ ରେଖା ମେଡିକାଲକୁ ଯାଇ ପାରିନଥିଲେ। ଦିର୍ଘ ସମୟ ଧରି ପ୍ରସବ ଯନ୍ତ୍ରଣା ସହିବା ପରେ ସକାଳ ସାଢେ ୮ଟାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ୯ଟା ବେଳେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ମା ଓ ଛୁଆଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଇବଣିଆ ଅଞ୍ଚଳର ବାରମ୍ଵାର ଆମ୍ଵୁଲାନ୍ସ ସମସ୍ୟା ଉପୁଜୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

