ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଭକ୍ତ ନିବାସଗୁଡ଼ିକରେ ଚାରି ଚକିଆ ଯାନ ପାଇଁ ଧାର୍ଯ୍ୟ ହୋଇଥିବା ପାର୍କିଂ ଶୁଳ୍କକୁ କମାଇ ଦିଆଯାଇଛି। ପୂର୍ବରୁ ଥିବା ୫୦୦ ଟଙ୍କା ପରିବର୍ତ୍ତେ ଏବେ ଭକ୍ତଙ୍କୁ ମାତ୍ର ୨୪୦ ଟଙ୍କା ଦେବାକୁ ପଡ଼ିବ। ଆଜିଠାରୁ ଏହି ନୂଆ ଦର କାର୍ଯ୍ୟକାରୀ ହୋଇଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହଠାତ୍ ପାର୍କିଂ ଫି’କୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ବର୍ଦ୍ଧିତ ଦରକୁ ନେଇ ଭକ୍ତଙ୍କ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ବିବାଦ ଦେଖାଦେଇଥିଲା। ବିଭିନ୍ନ ସ୍ତରରେ ବିରୋଧ ସତ୍ତ୍ୱେ ପ୍ରଶାସନ ପ୍ରଥମେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା। ମାତ୍ର ଭକ୍ତଙ୍କ ଭାବାବେଗ ଓ ଅସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ବର୍ଦ୍ଧିତ ଶୁଳ୍କକୁ ଅଧାରୁ ଅଧିକ କମାଇ ଦିଆଯାଇଛି। ଏହି ପଦକ୍ଷେପ ଫଳରେ ଦୂରଦୂରାନ୍ତରୁ ନିଜ ଗାଡ଼ି ନେଇ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ ଭାବେ ଉପକୃତ ହେବେ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।
