
କମିଯିବ ଭୁବନେଶ୍ୱର-ପାରାଦୀପ ଦୂରତା । ଆଉ କଟକ ସହର ଦେଇ ଯିବାକୁ ପଡ଼ିବନି । ଭୁବନେଶ୍ୱରର ରସୁଲଗଡ଼ରୁ ବାହାରି ଜଗତସିଂହପୁରର ରଘୁନାଥପୁର ଓ ନାନପୁର ନିକଟରେ ପାରାଦୀପ ରାସ୍ତାକୁ ସଂଯୋଗ କରିବା ଏହି ନୂଆ ରାସ୍ତା । ୪ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହା ରାଜଧାନୀରୁ ପାରାଦୀପ ଅଭିମୁଖେ ଏକ ନୂଆ ବାଇପାସ୍ ଭଳି କାମ କରିବ ।
ବନ୍ଦର ନଗରୀ ପାରାଦୀପକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡ଼ିବାକୁ ରାଜ୍ୟ ସରକାର ଏକ ନୂଆ ବିକଳ୍ପ ରାସ୍ତା ନିର୍ମାଣ କରିବେ । ଏ ନେଇ ପୂର୍ତ୍ତ ବିଭାଗ ଟିମ୍ ଲାଗି ପଡ଼ିଛି । ପ୍ରସ୍ତାବିତ ରାସ୍ତା ପାଇଁ ଡିପିଆର ପ୍ରସ୍ତୁତ କରାଯିବ । ଏ ନେଇ ଟେଣ୍ଡର ଆହ୍ୱାନ କରିଛି ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) । ଟେଣ୍ଡରଧାରୀ ସଂସ୍ଥା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରଥମେ ସର୍ଭେ କରିବେ । ଓବିସିସି ଅଧିକାରୀଙ୍କ କହିବାନୁସାରେ ପ୍ରଥମେ କେଉଁ ରୁଟ ଦେଇ ରାସ୍ତା ଯିବ, ତାହା ସ୍ଥିର କରାଯାଇନି । ସର୍ଭେ ପରେ ରୁଟ୍ ଚୂଡ଼ାନ୍ତ ହେବ । କେତେ ଜମି ଅଧିଗ୍ରହଣ ହେବ, କେଉଁଠି ବ୍ରିଜ୍ ନିର୍ମାଣ କରାଯିବ, ତାହା ସ୍ଥିର କରାଯିବ । ବଡ଼ କଥା ହେଲା, ଏହି ଏକ୍ସପ୍ରେସ୍ ୱେ ନିର୍ମାଣ ହେଲେ ଭୁବନେଶ୍ୱର ଓ ପାରାଦୀପକୁ ଯା’ ଆସ ସମୟ କମିଯିବ । କଟକ-ଭୁବନେଶ୍ୱର ଓ କଟକ-ପାରାଦୀପ ରାସ୍ତାରେ ଟ୍ରାଫିକ ଭିଡ଼ କମିବ । ଲୋକେ ଆରାମରେ ପାରାଦୀପରେ ପହଞ୍ଚି ପାରିବେ । ଏହି ନୂଆ ସଡ଼କ ନିର୍ମାଣ ନେଇ ରାଜ୍ୟ ସରକାର ବେଶ୍ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚସ୍ତରୀୟ ବୈଠକ ବସି ଏ ଦିଗରେ ନିଷ୍ପତ୍ତି ହୋଇଛି ।
ବିଶେଷଜ୍ଞଙ୍କ କହିବାନୁସାରେ ଏହି ପ୍ରସ୍ତାବିତ ସଡ଼କ ପ୍ରାୟତଃ ନୂଆ କରି ନିର୍ମାଣ ହେବ । କେତେକ ଜାଗାରେ ପୂର୍ବରୁ ଥିବା ରାସ୍ତାକୁ ଉନ୍ନତୀକରଣ କରାଯିବ। ଏହା ଭୁବନେଶ୍ୱରରୁ ବାହାରିଲେ ଜୟଦେବ ନିର୍ବାଚନମଣ୍ଡଳୀ, ନିଆଳି, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଦେଇ କଟକ କନ୍ଦରପୁରଠାରୁ ପ୍ରାୟ ୧୦ କିମି ଦୂର ନାନପୁର କିମ୍ବା ରଘୁନାଥପୁର ନିକଟରେ ପାରାଦୀପ ରାସ୍ତାକୁ ଛୁଇଁପାରେ ।
