
ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଡିଜିପି ୱାଇ. ବି. ଖୁରାନିଆ କହିଛନ୍ତି । ସେ ସଚେତନ କରିଛନ୍ତି ଯେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ଆଇନକୁ ହାତେ ନେଉଛନ୍ତି କିମ୍ବା ଏପରି ଯୋଜନା କରୁଛନ୍ତି ସେମାନେ ତାହାରୁ ନିବୃତ ରୁହନ୍ତୁ ।
ସେ କହିଛନ୍ତି, “କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଇନ ଅନୁସାରେ ପୋଲିସକୁ ଯେତେ କ୍ଷମତା ଦିଆଯାଇଛି, ସେସବୁ କ୍ଷମତା ଦୃଢ଼ଭାବେ ବ୍ୟବହାର କରାଯିବ।”
କଟକରେ ଉତ୍ତେଜନା ସୃଷ୍ଟି ହେବା ପରେ ଡିଜିପି ୱାଇ. ବି. ଖୁରାନିଆ ସ୍ୱୟଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ସେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରି ଘଟଣାସ୍ଥଳର ସମୀକ୍ଷା କରିଛନ୍ତି ।
ସେ କଟକବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରନ୍ତୁ ଏବଂ ସୋସିଆଲ୍ ମିଡିଆରେ ଚାଲୁଥିବା ଅଫବାହ ଉପରେ ବିଶ୍ବାସ ନକରନ୍ତୁ ।
ଡିଜିପି ପରାମର୍ଶ ଦେଇଛନ୍ତି ଯେ, ପୋଲିସ ୱେବସାଇଟ୍ ଓ ଆଧିକାରିକ ତଥ୍ୟ ଉପରେ ହିଁ ନାଗରିକମାନେ ବିଶ୍ବାସ କରନ୍ତୁ ।
