
ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଏହି ନୂଆ ରାଜନୈତିକ ଦଳ ଆତ୍ମପ୍ରକାଶ କରିବ ବୋଲି ସେ ସୂଚନା ଦେଇଛନ୍ତି।
ମହମ୍ମଦ ମୋକିମ୍ଙ୍କ କହିବା ଅନୁଯାୟୀ, ଆସନ୍ତା ଜାନୁୟାରୀ ୧୨ ତାରିଖ ‘ଜାତୀୟ ଯୁବ ଦିବସ’ ଅବସରରେ ଏହି ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ। ଏହି ଦିନ ଏକ ବିଶାଳ ଯୁବ ସମାବେଶର ଆୟୋଜନ କରାଯାଇଛି, ଯେଉଁଠାରେ ଉପକୂଳ ଓଡ଼ିଶାର ଅନେକ ପ୍ରଭାବଶାଳୀ ଯୁବ ନେତା ଏକାଠି ହେବେ। ଏହି ସମାବେଶ ମାଧ୍ୟମରେ ରାଜ୍ୟ ରାଜନୀତିରେ ଯୁବକମାନଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯିବ।
ନୂଆ ଦଳର ରୂପରେଖ ପ୍ରସ୍ତୁତି ପାଇଁ ସମଗ୍ର ରାଜ୍ୟରୁ ମତାମତ ସଂଗ୍ରହ କରାଯାଉଛି। ବିଭିନ୍ନ ବର୍ଗର ଲୋକ ଓ ବୁଦ୍ଧିଜୀବୀଙ୍କ ସହ ସମୀକରଣ ଚାଲିଛି। ମୋକିମ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନୂଆ ଦଳର ନାମ ସହିତ ‘କଂଗ୍ରେସ’ ଶବ୍ଦ ଯୁକ୍ତ ହୋଇ ରହିବ। ତେବେ ଦଳର ପ୍ରକୃତ ନାମ କ’ଣ ହେବ, ସେନେଇ ଜ୍ୟୋତିଷଙ୍କ ସହ ପରାମର୍ଶ ଚାଲିଛି।
ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ଭାବେ ଏହି ନୂଆ ଦଳ ଉଭା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂଗଠନକୁ ମଜବୁତ କରିବା ପାଇଁ ମୋକିମ୍ ରଣନୀତି ପ୍ରସ୍ତୁତ କରିଛନ୍ତି। ଯୁବ ସମାଜକୁ ପ୍ରାଧାନ୍ୟ ଦେଇ ଏକ ନୂତନ ରାଜନୈତିକ ପ୍ଲାଟଫର୍ମ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
