
ରାଜ୍ୟରେ ରାସନ ପାଇବା ପାଇଁ ଇ-କେୱାଇସି କରିବା ଆବଶ୍ୟକ ହୋଇପାରିଛି। ଆଜି (ଅକ୍ଟୋବର ୩୧) ହେଉଛି ଇ-କେୱାଇସି କରିବାର ଶେଷ ତାରିଖ। ଏହା ପରେ ଯେମାନେ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ରାସନ ଯୋଗାଣ ବନ୍ଦ ହେବ।
ଖାଦ୍ୟ ଓ ଯୋଗାଣ ବିଭାଗ ସୂତ୍ର ଅନୁସାରେ, ୨୯ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଲାଭାର୍ଥୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି। ବିଭାଗ ପକ୍ଷରୁ ସେମାନଙ୍କ ରାସନ ଯୋଗାଣ ବନ୍ଦ ହେବା ସମ୍ଭାବନା ନେଇ ଚିନ୍ତା ବ୍ୟକ୍ତ କରାଯାଇଛି।
ଗତ ୧୪ ଅକ୍ଟୋବରରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ। ଏହା ପରେ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତ୍ୱରାନ୍ୱିତ ଭାବେ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୫ ଦିନ ହେବା ସତ୍ତେ ମାତ୍ର ୭୩,୧୦୬ ଜଣଙ୍କ ଇ-କେୱାଇସି ହୋଇଛି।
ଏହି ଗତି ଦେଖି ସରକାରଙ୍କ ଚିନ୍ତା ଆହୁରି ବଢ଼ିଛି। ଏବେ ପ୍ରଶ୍ନ ହେଉଛି — ଅବଶିଷ୍ଟ ଲାଭାର୍ଥୀମାନେ ଏକ ଦିନରେ କେମିତି ଇ-କେୱାଇସି କରିପାରିବେ?

