ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ଇଣ୍ଟରନେଟ୍ ସେବା ଉପରେ କଟକଣାର ଅବଧି ଆଉ ୨୪ ଘଣ୍ଟା ପାଇଁ ବଢ଼ାଇ ଦିଆଯାଇଛି। ଗତକାଲି (ଡିସେମ୍ବର ୧୨) ରାତିରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଗୁଜବ ପ୍ରଚାରକୁ ରୋକିବା ଉଦ୍ଦେଶ୍ୟରେ ନିଆଯାଇଛି।
ସୂଚନାଯୋଗ୍ୟ ଯେ, MV-୨୬ ଗାଁରେ ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଉତ୍ତେଜନା ପରିପ୍ରେକ୍ଷୀରେ ଗାଁରେ ଅନେକ ଘର ପୋଡ଼ି ଦିଆଯାଇଥିଲା ଏବଂ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ୧୬୩ ଧାରା ଲାଗୁ କରାଯାଇଥିଲା ଏବଂ ପୋଲିସ ଡିଜି ନିଜେ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।
ତେବେ, ବର୍ତ୍ତମାନ MV-୨୬ ଗାଁରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଦୁଇ ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ସମାଧାନ ହେବା ପରେ ଗାଁକୁ ପୁଣି ଶାନ୍ତି ଫେରୁଛି। ଉଭୟ ପକ୍ଷ ଶାନ୍ତି ବଜାୟ ରଖିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ଭୟରେ ଘର ଛାଡିଥିବା ଲୋକେ ଧୀରେ ଧୀରେ ଫେରିବା ଆରମ୍ଭ କରିଛନ୍ତି। ଯଦିଓ ସ୍ଥିତି ସୁଧୁରୁଛି, କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଏବେବି ଗାଁରେ ପୋଲିସ୍ ଛାଉଣୀ ରହିଛି ଏବଂ ଆଇନଶୃଙ୍ଖଳା ଦୃଷ୍ଟିରୁ ଇଣ୍ଟରନେଟ୍ କଟକଣା ଜାରି ରହିଛି।
