
ଗାଡ଼ି ଚାଳକଙ୍କୁ ମିଳିଳା ଆଶ୍ୱସ୍ତି । ଆହୁରି ମାସେ ପିୟୁସିସି ଅବଧି ବୃଦ୍ଧି କଲେ ସରକାର । ବୁଧବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିୟୁସିସି ଅବଧି ବୃଦ୍ଧି କରାଯାଇଛି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହା ପରେ ଅର୍ଥାତ୍ ୧ ଏପ୍ରିଲରୁ ପିୟୁସି ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ ।
ସେପଟେ ମନ୍ତ୍ରୀ କହିଛନ୍ତି, ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ । କହିରଖୁଛୁ ଯେ, ପୂର୍ବରୁ ଫେବ୍ରୁଆରୀ ପହିଲା ଯାଏଁ ଗାଡ଼ିର ବୈଧ କାଗଜପତ୍ର କରାଇନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଥିଲା । ବର୍ତ୍ତମାନ ଏହି ସମୟକୁ ଆହୁରି ମାସେ ପାଇଁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ପୂର୍ବରୁ ଜାନୁଆରୀରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ବର୍ତ୍ତମାନ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅବଧି ବୃଦ୍ଧି କରାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ, ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।
