
ଶୀତ ଖାଲି ଅସହ୍ୟ ହେଉନି, ଆତଙ୍କ ସୃଷ୍ଟି କଲାଣି । ଲମ୍ବା ସମୟ ଧରି ଏଭଳି ଶୀତ ଆଗରୁ କେବେ ହେଉନଥିଲା । ଏଥର ହାଡ଼ଭଙ୍ଗା ଶୀତ ସୀମା ଟପିଲାଣି । ସ୍ଥିତି ଏମିତି ଯେ, ସକାଳୁ ବା ରାତିରେ ବାହାରକୁ ଯିବାକୁ ଡର ଲାଗୁଛି । ଆଗକୁ ବି ଏଭଳି ବାଘୁଆ ଶୀତର ଏହି କର୍ଫ୍ୟୁ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
ଶନିବାର ବି ପୂରା ରାଜ୍ୟ ଶୀତରେ ଛଟପଟ ହେବ । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଫୁଲବାଣୀ, ଅନୁଗୁଳ, ଢେଙ୍କାନାଳ, ଭବାନୀପାଟଣା ଓ ନବରଙ୍ଗପୁରରେ ଶୀତ ଲହରି ସ୍ଥିତି ରହିପାରେ । ଗୁରୁବାର ଶିମିଳିପାଳରେ ପାରଦ ବିଯୁକ୍ତକୁ ଖସିଥିଲା। । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ଜି ଉଦୟଗିରିରେ ପାରଦ ୨.୬ ଡିଗ୍ରୀ ରହିଥିଲା । ରାଉରକେଲାରେ ୩.୬ ଡିଗ୍ରୀ ଥିଲା । ରାଉରକେଲାରେ ରାତି ତାପମାତ୍ରା ଆଗରୁ ଏଭଳି ସର୍ବନିମ୍ନ ସ୍ତରକୁ କେବେ ଖସିନଥିଲା । ଦେଶର ସମତଳ ଅଞ୍ଚଳ ଭିତରେ ଏହା ଦେଶର ଚତୁର୍ଥ ଥଣ୍ଡା ସହର ପାଲଟିଥିଲା । ଦେଶର ୨୫ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ବା ଏହାଠାରୁ ତଳେ ଥିଲା ।
ଖାଲି ୨୫ ସ୍ଥାନ ନୁହେଁ, ପୂରା ଓଡ଼ିଶା ଜାଡ଼ରେ ଥରିଥିଲା । ଝାରସୁଗୁଡ଼ାରେ ୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୭.୨ ଡିଗ୍ରୀ କମ୍ ରହିଥିଲା । ଭୁବନେଶ୍ୱରରେ ଅସହ୍ୟ ଶୀତ ହେଉଥିଲା । ଏଠାରେ ପାରଦ ୯.୪ ଡିଗ୍ରୀ ଥିଲା । ସ୍ୱାଭାବିକଠାରୁ ୫.୬ ଡିଗ୍ରୀ କମି ଯାଇଥିଲା । କୋରାପୁଟରେ ସ୍ୱାଭାବିକଠାରୁ ୩.୩ ଓ ଫୁଲବାଣୀରେ ୩.୧ ଡିଗ୍ରୀ କମ୍ ଥିଲା । ଗୋପାଳପୁରରେ ସ୍ୱାଭାବିକଠାରୁ ୩.୫ ଓ ବାଲେଶ୍ୱରରେ ୩.୬ କମ୍ ରହିଥିଲା । ଅନଗୁଳ ଓ ଝାରସୁଗୁଡ଼ାରେ ଭୀଷଣ ଶୀତ ଲହରି ସ୍ଥିତି ରହିଥିଲା । କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଶୀତ ଲହରି ଥିଲା ।
ଏ ବର୍ଷ ପଶ୍ଚିମାବାୟୁ ପ୍ରବାହର ପ୍ରଭାବ ରହୁନଥିବାରୁ ରାଜ୍ୟରେ ବର୍ଷା ହେଉନି । ବାୟୁର ଆର୍ଦ୍ରତା କମ୍ ରହୁଛି । ବର୍ଷା ଓ ଆର୍ଦ୍ରତା ବାୟୁ ତାପମାତ୍ରାକୁ କମାଇଥାଏ । ଶୁଖିଲା ଓ ଶୁଷ୍କ ବାୟୁ ଯୋଗୁ ଉଭୟ ଦିନ ଓ ରାତି ତାପମାତ୍ରା କମୁଛି ବୋଲି ସେ କହିଛନ୍ତି । ପୁଣି ଏହି ସପ୍ତାହରେ ବାୟୁର ବେଗ ଅଧିକ ରହିଛି । ଏହା ଫଳରେ ଅନୁଭୂତ ଶୀତ ବା ଚିଲିଂ ତାପମାତ୍ରା ଅଧିକ ହେଉଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
