
ଆଜି ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଏହି ପବିତ୍ର ତିଥିରେ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଭିଷେକ ନୀତି ପାଳନ ହେଉଛି ।
ଶନିବାର ସକାଳ ଧୂପ ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ଦାରୁବ୍ରହ୍ମଙ୍କ ସୁନାବେଶ ହେବ । ପୂଜାପଣ୍ଡା ସାମନ୍ତ ରତ୍ନସିଂହାସନରେ ପୂଜାର୍ଚ୍ଚନା କରୁଥିବା ସମୟରେ ଭିତରଛ ମହାପାତ୍ର ଲକ୍ଷ୍ମଣ ରୂପରେ ଛତ୍ର ଧରି ଦଣ୍ଡାୟମାନ ହେବେ । ପାଳିଆ ଭଣ୍ଡାର ମେକାପ ଛତ୍ର ମୂଳକୁ ଧାରଣ କରି ହନୁମାନ ରୂପରେ ଆଣ୍ଠୁମାଡ଼ି ବସିବେ । ଏହି ଅବସରରେ ଷୋଡ଼ଶ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ବନ୍ଦାପନା ନୀତି ସମ୍ପନ୍ନ ହେବ । ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ସମ୍ପନ୍ନ ହେବ ।
