
ଆଜି ସାରା ଦେଶରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ (5-day work week) ଦାବିରେ ବ୍ୟାଙ୍କ କର୍ମଚାରୀ ସଂଘ ‘ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ (UFBU) ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ସପ୍ତାହର ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ଦାବିରେ ଜାନୁଆରୀ ୨୩ ତାରିଖରେ ଶ୍ରମ କମିଶନଙ୍କ ସହ ହୋଇଥିବା ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି।
ବିଶେଷ କରି ସରକାରୀ ବ୍ୟାଙ୍କଗୁଡ଼ିକରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। ଗତ ରବିବାର ଏବଂ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିବା ବେଳେ ଆଜି ଧର୍ମଘଟ ଯୋଗୁଁ ଲଗାତାର ୩ ଦିନ ଧରି ଗ୍ରାହକମାନେ ଶାଖା ସ୍ତରୀୟ ସେବାରୁ ବଞ୍ଚିତ ହେଉଛନ୍ତି। ତେବେ ଏହି ଧର୍ମଘଟ ସତ୍ତ୍ୱେ ଏଟିଏମ୍ (ATM), ୟୁପିଆଇ (UPI) ଏବଂ ନେଟ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବା ଜାରି ରହିବ ବୋଲି ଆଶା କରାଯାଉଛି। ଏଚଡିଏଫସି (HDFC) ଏବଂ ଆଇସିଆଇସିଆଇ (ICICI) ଭଳି ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ରହିପାରେ।
