
୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି । ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଚେକ କରାଯାଉଛି । ବିଭିନ୍ନ ରେଳଷ୍ଟେସନ, ଚାରିବାଟିଆ, ନିର୍ଗୁଣ୍ଡି, ଟାଙ୍ଗୀ, କଟକ ସହ ଅନେ ସ୍ଥାନରେ ରାତି ସାରା ଚେକିଂ ହୋଇଛି। ବିଭିନ୍ନ ଛକ ସ୍ଥାନ ଓ ଚୌଦ୍ୱାର ହାଉସିଂ ବୋର୍ଡ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଜେଲକୁ ବିଭିନ୍ନ ସାମଗ୍ରୀ ପଠାଉଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଦୁଇ ବିହାରୀ ଡକାୟତ ମଧୁକାନ୍ତ କୁମାର ଓ ରାଜା ସାହାଣୀ ଆରିରେ ୱାର୍ଡର ରଡ କାଟି ବାହାରକୁ ଆସିଥିଲେ । କମ୍ବଳ କାଟି ରଶି ଭାବେ ବ୍ୟବହାର କରିଥିଲେ ।
ବିଳମ୍ବିତ ରାତିରେ କମ୍ବଳକୁ କାଟି ତିଆରି କରିଥିବା ଦଉଡି ସାହାଯ୍ୟରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଗତ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ସଂପୃକ୍ତ ଥିଲେ ରାଜା ସାହାଣୀ ଓ ମଧୁକାନ୍ତ କୁମାର । ସେମାନଙ୍କ ସଂପର୍କରେ ସଠିକ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ଘୋଷଣା କରାଯାଇଛି । ଏହି କଏଦୀ ଫେରାର ଘଟଣାରେ କଟକ ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନା ତଦନ୍ତ କରୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଚୌଦ୍ବାର ସର୍କଲ ଜେଲର ଏତେ ଉଚ୍ଚା ପାଚେରୀ ଡେଇଁ ଦୁଇ ଅପରାଧୀ ଫେରାର ହୋଇଗଲେ ? କିନ୍ତୁ କେହି କିଛି ଜାଣିପାରିଲେନି କିପରି ? ଏଥିରେ ଜେଲ କର୍ମଚାରୀଙ୍କ ହାତ ରହିଛି କି ? ଜେଲର ସୁରକ୍ଷା ଢିଲା ଥିଲା କି ? କେବେଠୁ ଫେରାର ପାଇଁ ଦୁଇ ଡକାୟତ ପ୍ଲାନ କରିଥିଲେ ? ଏସବୁ ଦିଗରେ ତଦନ୍ତ ଚାଲିଛି ।
ଅନ୍ୟପଟେ ଦଶହରା ପାଇଁ ଚୌଦ୍ବାର ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି । ଫେରାର ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ମାମଲାରେ ସେମାନେ ସଂପୃକ୍ତ ଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା
