
ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି । ସୋମବାର ବଜାର ଖୋଲିବା ମାତ୍ରେ ବହୁମୂଲ୍ୟ ଧାତୁଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ସାଧାରଣ ଗ୍ରାହକଙ୍କୁ ସ୍ତବ୍ଧ କରିଦେଇଛି । ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ ୧.୫ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି ।
ଚଳିତ ବର୍ଷର ପ୍ରଥମ ମାସରୁ ହିଁ ବଜାରରେ ହଇଚଇ ସୃଷ୍ଟି ହୋଇଛି । ରୁପା ଦର କମିବାର ନାଁ ଧରୁନାହିଁ । ତଥ୍ୟ ଅନୁସାରେ, ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୧ କିଲୋଗ୍ରାମ ରୁପାର ଦର ୨,୩୫,୭୦୧ ଟଙ୍କା ଥିଲା, ଯାହା ଏବେ ବୃଦ୍ଧି ପାଇ ୩,୦୧,୩୧୫ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ମାତ୍ର କିଛି ଦିନ ମଧ୍ୟରେ ପ୍ରତି କିଲୋଗ୍ରାମରେ ପ୍ରାୟ ୬୫,୬୧୪ ଟଙ୍କା ବୃଦ୍ଧି ପାଇଛି ।
ବିଶ୍ୱ ବଜାରରେ ଦେଖାଦେଇଥିବା ଉତ୍ତେଜନା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପୁଣିଥରେ ‘ଟାରିଫ୍’ ବୃଦ୍ଧି କରାଯିବା ଫଳରେ ସୁନା ଓ ରୁପା ଦର ଏତେ ତୀବ୍ର ଗତିରେ ବଢୁଥିବା କୁହାଯାଉଛି । ଅର୍ଥନୈତିକ ବିଶେଷଜ୍ଞମାନେ ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇବା ନେଇ ଯେଉଁ ପୂର୍ବାନୁମାନ କରିଥିଲେ, ତାହା ଏବେ ବିଫଳ ହେଉଥିବା ମନେ ହେଉଛି । ଉଭୟ ମୂଲ୍ୟବାନ ଧାତୁ ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି
