
ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍ ଚଳାଚଳ ବନ୍ଦ କରାଯିବ । ଉଭୟ କଟକ ଏବଂ ଭୁବନେଶ୍ୱରରେ ସମସ୍ତ ରୁଟ୍ରେ ବସ୍ ଚଳାଚଳ ବନ୍ଦ ରହିଛି । ଦଶହରା ଭସାଣି ଯାଏ କଟକଣା ଜାରି ରହିବା ନେଇ କ୍ରୁଟ (କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଜାରି କରାଯାଇଛି । ପୂଜା ମଣ୍ଡପ ପାଇଁ ସମସ୍ତ ମୁଖ୍ୟ ରାସ୍ତାରେ ଭିଡ଼ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ କ୍ରୁଟକୁ ବସ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂଜାରେ ଟ୍ରାଫିକ୍ ଯନ୍ତ୍ରଣାରେ ଘାଣ୍ଟି ହେଲେ ରାଜଧାନୀବାସୀ । ସପ୍ତମୀ ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଘରୁ ବାହାରିଥିବା ଶ୍ରଦ୍ଧାଳୁ ଟ୍ରାଫିକ୍ ଯନ୍ତ୍ରଣାରେ ଛଟପଟ ହେଲେ । ଅବଶ୍ୟ ଭାରୀଯାନରେ କଟକଣା ଯୋଗୁ ୧୬ ନମ୍ବର ଏନ୍ଏଚ୍ରେ ଭିଡ଼ କମିଥିଲା । କିନ୍ତୁ କଟକ ରୋଡ, ଜନପଥରେ ଟ୍ରାଫିକ୍ ପରିଚାଳନାରେ ପୁଲିସ ବେହାଲ ହୋଇଥିଲା । କିଛି ରଣନୀତି କାମ ଦେଲାନି । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଭିଡ଼ରେ ଫସିଲେ ଶ୍ରଦ୍ଧାଳୁ । ରସୁଲଗଡ଼ରୁ ବମିଖାଲ ଅଧକିମି ପାର୍ କରିବାକୁ ଅଧ ଘଣ୍ଟା ଲାଗିଗଲା । ଜନ୍ପଥରେ ବି କାର, ବାଇକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା

