
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୨ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କଟକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ଅଧିକ ବର୍ଷା ହୋଇପାରେ । ୩ରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୩୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ୨ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ । ପରେ ଏହା ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଇବ । କିନ୍ତୁ ଏହା ଉପକୂଳରୁ ଦୂରରେ ରହିବ । ୩ ତାରିଖରେ ଏହା ଦକ୍ଷିଣ ଓଡ଼ିଶା ଉପକୂଳ ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରିପାରେ ।
୩୦ ତାରିଖରେ ପାଗ ଶୁଖିଲା ରହିବ । ଅକ୍ଟୋବର ୧ ତାରିଖ ବା ନବମୀରେ ଉତ୍ତର ଉପକୂଳରେ ବିକ୍ଷିପ୍ତ ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ, ନୟାଗଡ଼ ଓ ଗଜପତିରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଅକ୍ଟୋବର ୨ ତାରିଖ ବା ଦଶମୀରେ ମଧ୍ୟାହ୍ନ ଯାଏ ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଦଶହରା ଦିନ ମଧ୍ୟାହ୍ନ ପରେ ବର୍ଷା ବଢ଼ିବ । ୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

